ରାୟଗଡା ଜିଲାରେ ଶିକ୍ଷାର ବିକଳ ଚିତ୍ର
- ପିଲା ନଥିବାରୁ ସ୍କୁଲ ବନ୍ଦ, ଏଣେ ଗଛମୂଳେ ପାଠ ପଢୁଛନ୍ତି ପିଲା….

ରାୟଗଡା,୧୩।୧୨,ଶିକ୍ଷାର ପ୍ରସାର ପାଇଁ ବହୁ ଯୋଜନା ପ୍ରସ୍ତୁତ କରାଯାଇ ମୋଟା ରକମର ଅର୍ଥ ବ୍ୟୟ କରାଯାଉଛି। କିନ୍ତୁ ଅଣବିକଶିତ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ଶିକ୍ଷା ବ୍ୟବସ୍ଥା ଦୟନୀୟ ଅବସ୍ଥାରେ ରହିଛି।ବିଜେଡି ସରକାରଙ୍କ ଅମଳରେ ରାଜ୍ୟର ଅନ୍ୟ ପ୍ରାନ୍ତ ଭଳି ରାୟଗଡା ଜିଲ୍ଲା ରେ ବହୁ ବିଦ୍ୟାଳୟ ସ୍ମାର୍ଟ ବିଦ୍ୟାଳୟକୁ ପରିବର୍ତ୍ତିତ ହୋଇଥିଲା। କିନ୍ତୁ ଦୁରଦୃଷ୍ଟି ଅଭାବରୁ ଜିଲ୍ଲାରେ ବହୁ ବିଦ୍ୟାଳୟରେ ତାଲା ପଡିଛି ।ରାୟଗଡା ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି। ବିଜେଡି ସରକାର ଅମଳରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିବା ନେଇ ବନ୍ଦ ହୋଇଯାଇଛି ଅନେକ ସ୍କୁଲ । ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ଆଦିବାସୀ ଅଞ୍ଚଳରେ ପିଲା ମାନେ ଆଉ ସ୍କୁଲମୁହାଁ ହେଉନାହାନ୍ତି । କିଏ ଗାଇ ଚରାଇବାକୁ ଯାଉଛି ତ ଆଉ କିଏ ବାପାମା ସାଙ୍ଗେ ଡଙ୍ଗରରେ କାମ କରିବାକୁ ଚାଲିଯାଉଛି । କିଛି ସ୍କୁଲ ବନ୍ଦ ହେବା ପରେ ପିଲା ମାନେ ବିଦ୍ୟାଳୟ ସାମ୍ନାରେ ଥିବା ଗଛ ମୂଳେ ପାଠ ପଢୁଛନ୍ତି । ଆଉ ପିଲା ମାନଙ୍କୁ ଗାଁର ଶିକ୍ଷିତ ଯୁବକଯୁବତୀ ପାଠ ପଡାଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ସଦର ବ୍ଲକର ସିରିକାଡ୍ରୁଗୁମ୍ ଗାଁ ରେ ।ଉପାନ୍ତ ଅଞ୍ଚଳରେ ବିଚିତ୍ର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ଗାଁରେ ଥିବା ସ୍କୁଲ ବନ୍ଦ ହୋଇଯିବା ପରେ ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଭଲଭାବେ ଦେଖନ୍ତୁ ଏହି ଦୃଶ୍ୟକୁ । ଏହା ହେଉଛି ରାୟଗଡା ସଦର ବ୍ଲକ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ସିରିକାଡ୍ରୁଗୁମ୍ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । କମ୍ ଉପସ୍ଥାନ ଯୋଗୁଁ ଗଲା ୪ ମାସ ହେବ ସ୍କୁଲରେ ତାଲା ଝୁଲୁଛି । ଆଉ ଏପଟେ ପ୍ରତିଦିନ ସ୍କୁଲ ବାହାରେ ଥିବା ଏକ ଗଛମୂଳେ ଏକାଧିକ କୋମଳମୋତି ପିଲା ବହିବସ୍ତାନୀ ଧରି ନିଜ ଭବିଷ୍ୟତ ଗଢିବାରେ ବ୍ୟସ୍ତ ଆଶ୍ଚର୍ଯ୍ୟର କଥା ହେଲା ଏମାନଙ୍କୁ ଗାଁ ଜଣେ ମାଟ୍ରିକ୍ ପଢୁଆ ଯୁବତୀ ପ୍ରାଥମିକ ଶିକ୍ଷା ପ୍ରଦାନ କରୁଛନ୍ତି । ଖାଲି ସେ ନୁହନ୍ତି ପାଳି କରି ଗାଁ ର କିଛି ପଢୁଆ ଯୁବକ ସ୍କୁଲ ବନ୍ଦ ହେବା ପରେ ପୁଲା ମାନଙ୍କୁ ଏମିତି ପଢାଇଥାନ୍ତି । ୨୦ ବର୍ଷ ତଳେ ଗାଁରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିବା ବେଳେ ଗତ ତିନି ବର୍ଷ ତଳେ କମ୍ ଉପସ୍ଥାନ ଥିବା ଦର୍ଶାଇ ଶିକ୍ଷା ବିଭାଗ ବିଦ୍ୟାଳୟକୁ ବନ୍ଦ କରିଦେଇଥିଲା । ପରେ ବାଦବିବାଦ ପରେ ପୁନର୍ବାର ସ୍କୁଲ ଆରମ୍ଭ ହେଲା । ହେଲେ ଗତ ୪ ମାସ ହେବ ବିଦ୍ୟାଳୟରେ ପ୍ରାୟ ୨୫ ରୁ ଉର୍ଦ୍ଦ ଛାତ୍ରଛାତ୍ରୀ ରହିଥିଲେ ସୁଦ୍ଦା ସ୍କୁଲ ବନ୍ଦ କରିଦିଆଯାଇଛି । ଗ୍ରାମବାସୀ ବୁଝିପାରୁନାହାନ୍ତି ପ୍ରଶାସନ ସ୍କୁଲକୁ କାହିଁକି ବନ୍ଦ କଲେ ।ରାୟଗଡା ଜିଲ୍ଲାର ୧୧ ଟି ବ୍ଲକରେ ଏପରି ସ୍ଥିତି ଦେଖାଦେଇଛି । ଗତ ୨୦୧୮ ମସିହାରେ କମ୍ ଉପସ୍ଥାନ ଓ ଅନ୍ୟାନ୍ୟ ଅସୁବିଧା ଥିବା ବିଦ୍ୟାଳୟକୁ ବନ୍ଦ କରି ପୋଡଶୀ ବିଦ୍ୟାଳୟରେ ମିଶ୍ରଣ କରି ଦିଆଯାଇଥିଲେ ।ଫଳରେ ଦୁର୍ଗମ ଅଞ୍ଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ଛାଡିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ଏପରି ୧୬୪ ଟି ବିଦ୍ୟାଳୟକୁ ଚିହ୍ନଟ କରାଯାଇଥିବା ବେଳେ ପ୍ରାୟ ୭୪ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଛି ।ସେଥିମଧ୍ୟରୁ ବିଷମକଟକ ବ୍ଲକର ୯ ଟି,ଚନ୍ଦ୍ରପୁର ବ୍ଲକର ୬ ,ଗୁଡାରୀର ୨,ଗୁଣପୁରର ୧୩ ,କଲ୍ୟାଣସିଂହପୁରର ୬,କୋଲନରାର ୯,ମୁନିଗୁଡାର ୧୭,ପଦ୍ମପୁରର ଗୋଟିଏ ଓ ରାୟଗଡା ସଦର ବ୍ଲକର ୯ଟି ବିଦ୍ୟଳୟକୁ ବନ୍ଦ କରିଦିଆଯାଇଛି । ସେହିପରି ଚଳିତ ବର୍ଷ ଜିଲ୍ଲାର ୧୨ ଟି ସ୍କୁଲକୁ କମ୍ ଉପସ୍ଥାନ ଥିବା ଦର୍ଶାଇ ବନ୍ଦ କରାଯାଇଛି । ତେବେ ଯେଉଁ ସ୍କୁଲ ଗୁଡିକ ଖୋଲିବା ଯୋଗ୍ୟ ସେହି ଉପରେ ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ରାଜ୍ୟସ୍ତରୀୟ କମିଟି ନିହାତି ଭାବେ ଆବଶ୍ୟକ ପଦକ୍ଷେପ ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।ବନ୍ଦ ହୋଇଯିବା ପରେ ଗ୍ରାମାଞ୍ଚଳରେ ଶିକ୍ଷାର ମାନ ଧିରେ ଧିରେ କମିବାରେ ଲାଗିଛି । ଏପଟେ ଗଛମୂଳେ ଆଦିବାସୀ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢିବାରେ ବ୍ୟସ୍ତ ଅଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଉପାନ୍ତ ଅଞ୍ଚଳରେ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ହୋଇପଡିଛି ।

