ଆମ୍ବୁଲାନ୍ସ ଧକ୍କା ମହିଳା ମୃତ ୨ ଗୁରୁତର

କଟକରୁ ଚିକିତ୍ସିତ ହୋଇ ଫେରିବା ବେଳେ ଦୁର୍ଘଟଣାରେ ମୃତ୍ୟୁ।ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା କପାମଣ୍ଡି ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା।ବୋଲେରୋରେ ଫେରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା।କଟକ ବଡ଼ ଡ଼ାକ୍ତରଖାନାରେ ଲଳିତାଙ୍କୁ ଚିକିତ୍ସା କରାଇ ପରିବାର ଲୋକେ କାଶୀପୁର ଫେରୁଥିବା ବେଳେ ବିପରୀତ ଦିଗରୁ ଆମ୍ବୁଲାନ୍ସଟି ଦୃତଗତିରେ ଆସି ଧକ୍କା ଦେଇଥିଲା।ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ କର୍ମଚାରୀମାନଙ୍କ ସହାୟତାରେ ସମସ୍ତ ଆହାତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ଲଳିତାଙ୍କୁ ମୃତ ଘୋଷଣା କରିଥିଲେ। ଆହାତ କୁମାରୀ ଏବଂ ବୁନାଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ମକଦ୍ଦମା ରୁଜୁ କରି ଲଳିତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ଦୁର୍ଘଟଣାଗସ୍ତ ଦୁଇଟି ଗାଡ଼ିକୁ ଜବତ କରାଯାଇ ତଦନ୍ତ ଚାଲିଥିବା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।

ଟିକିରି ପ୍ରିମିୟର ଲିଗ (ଟିପିଏଲ୍) ସିଜନ–୩ ଉଦଘାଟିତ

କାଶୀପୁର (ଭି ଓ) -ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକର ଟିକିରି ୟୁଥ୍ କ୍ରିକେଟ କ୍ଲବ ପକ୍ଷରୁ ଟିକିରି ପ୍ରିମିୟର ଲିଗ (ଟିପିଏଲ୍) ସିଜନ–୩ ର ସଫଳ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମାଁ ଗଙ୍ଗାଦେବୀ ଠାକୁରାଣୀ ଓ ଅଗ୍ନି ଭୈରବ ମନ୍ଦିରରୁ ଏକ ଆଡମ୍ବରପୂର୍ଣ୍ଣ ମଶାଳ ଯାତ୍ରା ବାହାରି ଟିକିରି ରେଲୱେ କ୍ରିକେଟ ମାଇଦାନରେ ପହଞ୍ଚିଥିଲା।ଉଦଘାଟନୀ କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା  ହିଣ୍ଡାଲକୋ କଂସାରୀଗୁଡା କମ୍ପାନୀର ୟୁନିଟ ହେଡ ମଜହର ବେଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହିତ ସିଏସଆର ମୁଖ୍ୟ ତନ୍ମୟ ମହାନ୍ତି ଉପସ୍ଥିତ ରହି ରିବନ୍ କାଟି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ।ଅନୁଷ୍ଠାନର ସଭାପତି ଭାବେ ରହିମ କୁମାର, କୋଷାଧ୍ୟକ୍ଷ ଚରଣ ନାଏକ, ଉପ-ସଭାପତି ଡମ୍ବୁରୁ ଦିସାରି ଉପସ୍ଥିତ ଥିଲେ।ଉଦଘାଟନୀ ମ୍ୟାଚରେ ଏମ୍‌.କେ. ମହାନନ୍ଦ ଲାୟନ୍ସ ଓ ଜଗଦମ୍ବା–୧୧ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଏମ୍‌.କେ. ମହାନନ୍ଦ ଲାୟନ୍ସ ୧୨ ଓଭରରେ ୪ ୱିକେଟ ହାରାଇ ୧୧୯ ରନ୍ କରିଥିଲା। ପ୍ରତିଉତ୍ତରରେ ଜଗଦମ୍ବା–୧୧ ଦଳ ୪ ୱିକେଟ ହାରାଇ ୫ଟି ବଲ ବାକି ରହି ୧୨୧ ରନ୍ କରି ବିଜୟ ଲାଭ କରିଥିଲା।ଏହି ଟୁର୍ଣ୍ଣାମେଣ୍ଟ ୧୨ ଜାନୁଆରୀରୁ ଆରମ୍ଭ ହୋଇ ୨୯ ଜାନୁଆରୀରେ ସମାପ୍ତ ହେବ ବୋଲି ସଭାପତି ରହିମ କୁମାର ସୂଚନା ଦେଇଛନ୍ତି। ଆଇପିଏଲ ଢାଞ୍ଚାରେ ଆୟୋଜିତ ଏହି ଲିଗରେ ୮ଟି ଟିମ ଅଂଶଗ୍ରହଣ କରୁଥିବାବେଳେ ସମୁଦାୟ ୩୨ଟି ମ୍ୟାଚ ଖେଳାଯିବ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, ହରପ୍ରସାଦ ନାୟକ, କୈଳାଶ ନାୟକ ସହ ବହୁ କ୍ରିକେଟ ପ୍ରେମୀ ଉପସ୍ଥିତ ଥିଲେ।

କ୍ଷତିପୂରଣ ଦାବିରେ ରାସ୍ତାରୋକ

ଗୁଣପୁର: ଯୁବକଙ୍କ ମୃତ୍ୟୁ ପରେ ତାତିଲେ ଗ୍ରାମବାସୀ | ମିଳିଥିବା ସୂଚନା ମୁତାବକ ଗତକାଲି ରାୟଗଡା ଜିଲ୍ଲା ଗୁଣପୁର ବଂଶଧାରା ବ୍ରିଜ ନିକଟରେ ଏକ ଘରୋଇବସ୍ ଏବଂ ବାଇକ ମଧ୍ୟରେ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିଲେ । ଯୁବକ ଜଣକ ପୁଟାସିଂ ପଞ୍ଚାୟତର ମାନେଙ୍ଗୁଲୁ ଗ୍ରାମର ପଞ୍ଚିନ ଶବର ବୟସ (୩୫) ବୋଲି ଜଣାପଡିଛି। ସେ କୌଣସି କାରଣରୁ ଗୁଣପୁର ଆସିଥିବାବେଳେ ବସ ଦୁର୍ଘଟଣାର ଶିକାର ହୋଇଥିଲେ।ତେବେ ତାଙ୍କୁ ପ୍ରଥମେ ଗୁଣପୁର ମେଡିକାଲ ଅଣାଯାଇଥିଲା | ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | ଆଜି ଗୁଣପୁର ବଂଶଧାରା ବ୍ରିଜଠାରେ ଶବକୁ ରଖି ସମ୍ପର୍କୀୟ ଲୋକେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ରାସ୍ତାରୋକ କରିଛନ୍ତି।କ୍ଷତିପୂରଣ ନ ମିଳିବା ଯାଏଁ ରାସ୍ତାରୁ ଉଠିବେ ନାହିଁ ବୋଲି ରାସ୍ତାରୋକ କରି ବସିଛନ୍ତି। ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ରାସ୍ତାର ଉଭୟ ପଟୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇ ପଡ଼ିଛି। ଯାହା ଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀଙ୍କ ଭଊଣିଙ୍କୁ ଭେଟିଲେ ଉତ୍କଳ ଯାଦବ ସମାଜ ରାଜ୍ୟ ସମ୍ପାଦକ ଅମିତ

କାଶୀପୁର (ଭିଓ) – ଚଳିତ ମାସ ଗତ ୮ ଓ ୯ ତାରିଖରେ ଯାଦବ ମହାସଭା ତରଫରୁ ମଧ୍ୟପ୍ରଦେଶ ର ଇନ୍ଦୋର ଠାରେ ଆୟୋଜିତ ହୋଇଥିଲା ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଜାତୀୟ ଯାଦବ ମହାସଭା ର ଯୁବ ସଭାପତି ପ୍ରଦୀପ ବେହେରା, ରାଜ୍ୟ ସଭାପତି ଅମର ନାୟକ, ଓ ରାୟଗଡାର ଯୁବକ ତଥା ରାଜ୍ୟ ସମ୍ପାଦକ ଅମିତ କୁମାର ନାୟକ ଯୋଗ ଦେଇଥିଲେ। ଉକ୍ତ ଦୁଇଦିନିଆ କାର୍ଯ୍ୟକ୍ରମରେ ଯାଦବ କୁଳର ବିକାଶ ତଥା ରେଜାଙ୍ଗଲା ଅହିର ରେଜିମେଣ୍ଟ ର ପୁନଃ ଉତ୍ଥାନ ନିମନ୍ତେ ଆଲୋଚନା ହୋଇଥିବା ରାଜ୍ୟ ଯାଦବ ମହାସଂଘ ସଂପାଦକ ଅମିତ ନାୟକ ପ୍ରକାଶ କରିଥିଲେ । ଏହା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଭଉଣୀ ତଥା ଉଜ୍ଜେନ ନଗର ପାଳିକାର ବାଚସ୍ପତି କଳାବତି ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଶ୍ରୀମତୀ ଯାଦବ ଓଡ଼ିଶାର ଏହି ଟିମକୁ ସମ୍ବର୍ଦ୍ଧନା କରିବା ସହ ଯାଦବ କୁଳ କିଭଳି ବିକାଶମୁଖି ହେବେ ଓ ସାଧାରଣ ସ୍ରୋତରେ ସାମିଲ ହେବେ ସେ ନେଇ ଆଲୋଚନା କରିଥିଲେ । ଏହାସହ ସରକାରଙ୍କ ପ୍ରତିଟି ଯୋଜନାରେ ସାମିଲ ହୋଇ ପାରିବେ ଓ ଉତ୍କଳ ଯାଦବ ମହାସଂଘ ର ଦାୟିତ୍ଵ ରହିବ ସେ ନେଇ କିଛି ଉପଦେଶ ଦେବା ସହ ସର୍ବଦା ଏଥିପ୍ରତି ତାଙ୍କର ସହଯୋଗ ରହିବା ବୋଲି ଆଶ୍ଵାସନା ଦେଇଥିଲେ । ଯାହାକି ଆଗାମୀ ଦିନରେ ରାଜ୍ୟରେ ଯାଦବ ମହାସଂଘ ର ବିଭିନ୍ନ ଯୁକ୍ତାତ୍ମକ ପଦକ୍ଷେପ ଗ୍ରହଣ କରିବା ସହ ଯାଦବ କୁଳ ନିଶ୍ଚିତ ଭାବରେ ବିକାଶର ପଥରେ ଅଗ୍ରସର ହେବ ବୋଲି ଉତ୍କଳ ଯାଦବ ମହାସଭାର ରାଜ୍ୟ ସମ୍ପାଦକ ଶ୍ରୀ ନାୟକ କହିଛନ୍ତି ।

ମକର ସଂକ୍ରାନ୍ତି ଉପଲକ୍ଷେ ସ୍ବତନ୍ତ୍ର ପ୍ରସ୍ତୁତି, ପୁଲିହାରୀ-ଡ୍ରାଏ ଫ୍ରୁଟସରେ ମା’ ଗୋଦାଦେବୀ…

ରାୟଗଡ଼ା,୧୧/୧(ଭିଓ)- ମକର ସଂକ୍ରାନ୍ତି ଉପଲକ୍ଷେ ରାୟଗଡ଼ା ବ୍ଲକର ଜେକେପୁର ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ସ୍ଥାନୀୟ ମନ୍ଦିର ପ୍ରଭୁ ଭେଙ୍କେଟେଶ୍ବରଙ୍କ ସ୍ତ୍ରୀ ଗୋଦାଦେବୀଙ୍କ ଚିତ୍ର ଅଭିନବ ଭାବରେ ତିଆରି କରାଯାଇଛି । ଏହି ଚିତ୍ରରେ ତେଲୁଗୁ ସଂପ୍ରଦାୟଙ୍କ ପ୍ରମୁଖ ପ୍ରସାଦ ପୁଲିହାରୀ ଓ ଡ୍ରାଏ ଫ୍ରୁଟସ(କାଜୁ ,କିସମିସ, ପିସ୍ତା ଓ ବାଦାମ)ରେ ମନ୍ଦିର ପରିସରରେ ତିଆରି ହୋଇଥିଲା ।ମନ୍ଦିର ପୂଜକଙ୍କ ଦ୍ବାରା ଏହାକୁ ତିଆରି କରାଯାଇଥିବା ବେଳେ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ସମେତ ଭକ୍ତଙ୍କ ଭିଡ ଲାଗିରହିଥିଲା ।ତେଲୁଗୁ ସଂପ୍ରଦାୟ ଲୋକମାନେ ଡିସେମ୍ବର ୧୬ରୁ ମକର ସଂକ୍ରାନ୍ତି ଯାଏଁ ଧନୁରମାସ ପାଳନ କରିଥାନ୍ତି ଏବଂ ଏହି ସମୟରେ ଗୋଦା ଦେବୀଙ୍କ ପୂଜା କରିଥାନ୍ତି । ଏହି ଅଭିନବ ଚିତ୍ର ନିର୍ମାଣ ପାଇଁ ମନ୍ଦିରର ମୁଖ୍ୟ ପୂଜକ ପ୍ରଦୀପ ଆଚାରିଆଲୁ ଓ ତାଙ୍କର ସହଯୋଗୀ ମାନେ ପ୍ରାୟ ୨ ଘଣ୍ଟା ସମୟ ନେଇ ନିର୍ମାଣ କରିଥିଲେ । ଏହି ଅବସରରେ ରାୟଗଡା ସ୍କିତ ବାଲାଜୀ ନଗରରେ ଥିବା ଶ୍ରୀ କଲ୍ୟାଣଭେଙ୍କଟେଶ୍ବର ମନ୍ଦିରରେ କଡୁରାଇ (ଖିରି) ୧୦୮ ଟି କଳସରେ ନିର୍ମାଣ କରାଯାଇ ଭଗବାନଙ୍କୁ ଅର୍ପଣ କରିଥିଲେ । ଏହି ମନ୍ଦିରର ପ୍ରଧାନ ପୂଜକ ଭାସ୍କର ଆଚାରିଆଲୁ ଏବଂ ସହଯୋଗୀ ଏହି ସ୍ବତନ୍ତ୍ର ପ୍ରସାଦ ନିର୍ମାଣ କରିଥିଲେ । ଏହି ସ୍ବତନ୍ତ୍ର ଖିରି ୧୬ ପ୍ରକାର ସୁଗନ୍ଧିତ ଦ୍ରବ୍ୟରେ ପ୍ରସ୍ତୁତି ହୋଇଥିବା ପ୍ରଧାନ ପୂଜକ ଶ୍ରୀଭାସ୍କର ପ୍ରକାଶ କରିଛନ୍ତି ।

ବେଲପାହାଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ୱାଗନ

ଝାରସୁଗୁଡା (ଭିଓ) : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ୱାଗନ । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଳ ଫାଟକରେ ଲାଇନଚ୍ୟୁତ ହେଲା କୋଇଲା ପରିବହନ କରୁଥିବା ରେଳଗାଡି l ହାୱଡା-ନାଗପୁର ରେଳ ପଥରେ କୋଇଲା ନେଇ ଯାଉଥିବା ଲାଇନ ଚ୍ୟୁତ ହୋଇଛି l କୌଣସି ବଡ଼ ଧରଣର ଅଘଟଣ ଘଟି ନାହିଁ l ଟ୍ରେନ ଲାଇନଚ୍ୟୁତ ହେବା ପରେ ବେଲପାହାଡ ରେଳ ଫାଟକକୁ ବନ୍ଦ କରାଯାଇଛି l ଫଳରେ ଫାଟକ ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି ।ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ସୂଚନା ମିଳିଛି।

ବାଏପାସ୍ ରୋଡ୍ ନଥିବା ସତ୍ତ୍ୱେ ଭାରୀ ପରିବହନ, ଉତ୍କଳ ଆଲୁମିନା ଗାଡ଼ି ଯୋଗୁଁ ଟିକିରି–ରାୟଗଡା ରାସ୍ତା ହେଲା ମରଣ ଯନ୍ତା!

ଟିକିରି ଠାରୁ ରାୟଗଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏହି ରାସ୍ତା ଦେଇ ପ୍ରତିଦିନ ଚଳାଚଳ କରୁଛି ଉତ୍କଳ ଆଲୁମିନା କମ୍ପାନୀର ଭାରୀ ପରିବହନ ଗାଡ଼ି।ଏହି ଅଞ୍ଚଳରେ କୌଣସି ବାଏପାସ୍ ରୋଡ୍ ନାହିଁ।ଫଳରେ ପ୍ରତିଦିନ ପ୍ରାୟ ୧୦୦ ରୁ ଅଧିକ ବଡ଼ ଟ୍ରକ୍ ଓ ଟ୍ରେଲର ସାଧାରଣ ଜନବହୁଳ ରାସ୍ତା ଦେଇ ଯାତାୟାତ କରୁଛି।ଏହି ରାସ୍ତା ଦେଇ ଯାତ୍ରା କରନ୍ତି ଛୋଟ ପିଲା ଶିଶୁ, ସ୍କୁଲ୍ ବସ୍, ରୋଗୀ ବୋଝା ଆମ୍ବୁଲାନ୍ସ,ବୃଦ୍ଧ, ମହିଳା ଓ ଶ୍ରମିକ।କିନ୍ତୁ ସେହି ଏକେ ରାସ୍ତାରେ ଭାରୀ ଗାଡ଼ି ଚଳାଚଳ ଯୋଗୁଁ ପ୍ରତିଦିନ ଏହି ରାସ୍ତା ଜୀବନ ଓ ମୃତ୍ୟୁର ସୀମାରେ ରହୁଛି।ସ୍ଥାନୀୟ ଲୋକମାନେ କହୁଛନ୍ତି “ରାସ୍ତା ଛୋଟ, ଗାଡ଼ି ବଡ଼।କେବେ କଣ ହେବ, କେହି ଜାଣେ ନାହିଁ।”ଅନେକ ସମୟରେ ଦୁର୍ଘଟଣା ଘଟିଥିବା ଅଭିଯୋଗ ମଧ୍ୟ ଆସୁଛି।ସବୁଠୁ ଚିନ୍ତାଜନକ କଥା କମ୍ପାନୀ ଓ ପ୍ରଶାସନ ସମସ୍ତ କଥା ଜାଣିଥିଲେ ମଧ୍ୟ ଚୁପ୍। ନା ଗାଡ଼ି ଚଳାଚଳ ଉପରେ କୌଣସି ନିୟନ୍ତ୍ରଣ,ନା ଭାରୀ ଯାନ ପାଇଁ ଆଲଗା ରାସ୍ତା।

  • କାହିଁକି ଏପର୍ଯ୍ୟନ୍ତ ବାଏପାସ୍ ରୋଡ୍ ତିଆରି ହୋଇନାହିଁ?
  • ସାଧାରଣ ରାସ୍ତାରେ ଏତେ ଭାରୀ ଯାନ ଚଳାଚଳ କେତେଟା ଆଇନସମ୍ମତ?
  • କୌଣସି ବଡ଼ ଦୁର୍ଘଟଣା ଘଟିଲେ ଦାୟୀ କିଏ?

ପ୍ରଶ୍ନ ଅନେକ, କିନ୍ତୁ ଉତ୍ତର ନାହିଁ।ସାଧାରଣ ଲୋକଙ୍କ ଜୀବନ ଯେତେବେଳେ ଜୋଖିମରେ, ଏହି ନୀରବତା କେତେଟା ଯୁକ୍ତିସଙ୍ଗତ?ଆମେ ଆଶା କରୁଛୁ ପ୍ରଶାସନ ଓ କମ୍ପାନୀ ଶୀଘ୍ର ଏହା ଉପରେ ପଦକ୍ଷେପ ନେବେ।

1
1
1
ରାୟଗଡାରୁ ସ୍ୱତନ୍ତ୍ର ଟ୍ରେନରୁ ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ, ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ରାୟଗଡ଼ା,୧୫।୧୨, ବୈକୁଣ୍ଠ ନାଥ ଦୁରିଆ : ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ। ଦକ୍ଷିଣ-ପଶ୍ଚିମାଞ୍ଚଳ ଅନ୍ତର୍ଗତ କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ ଟି ଜିଲ୍ଲାର ୭୭୫ଜଣ ତୀର୍ଥଯାତ୍ରୀ ଓ ୨୫ ଜଣ ଏସକର୍ଟ ଆଜି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ରାମେଶ୍ବର ଓ ମଦୁରାଇ ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ।ପରିଣତ ବୟସରେ ବରିଷ୍ଠ ନାଗରିକଙ୍କୁ ଏହି ଯାତ୍ରା ଧାର୍ମିକ ସହାୟତା ପ୍ରଦାନ ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆର୍ଥିକ ପରିସ୍ଥିତି ଓ ପାରିପାର୍ଶ୍ୱିକ ଅବସ୍ଥା ଯୋଗୁଁ ଅନେକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯିବାରୁ ବଞ୍ଚିତ ରହୁଥିଲେ। ତାହା ଦୂରେଇବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୂଲକର୍ଣୀଙ୍କ ଅଧ୍ୟକ୍ଷତାରେ ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ରେଳବାଇ ଡିଆରଏମ ଅମିତାଭ ସିଂଘଲ, ଏସପି ସ୍ୱାତୀ ଏସ. କୁମାର ଅତିଥି ଭାବେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରେଳବାଇ ଆଇଆରସିଟିସି କର୍ତ୍ତୁପକ୍ଷ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଆସୁଥିବା ବେଳେ ସେମାନେ ତୀର୍ଥସ୍ଥାନ ଭ୍ରମଣ କରିପାରନ୍ତିନାହିଁ। ତାହା ଦୂରେଇବା ପାଇଁ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ପର୍ଯ୍ୟଟନ ବିଭାଗ ତରଫରୁ କୁହାଯାଇଛି। ଚଳିତ ଥର ୭୭୫ ଜଣ ତୀର୍ଥଯାତ୍ରୀ ଓ ୨୫ ଏସକଟ ଅଫିସର ମିଶି ମୋଟ ୮୦୦ ଜଣ ଯାତ୍ରାର ସୁଯୋଗ ପାଇଛନ୍ତି । ଏହି ଯାତ୍ରା ବେଳେ ତୀର୍ଥ ଯାତ୍ରୀମାନଙ୍କ ସମସ୍ତ ସୁବିଧା ରାଜ୍ୟ ସରକାର ବହନ କରିଥାନ୍ତି। ତୀର୍ଥଯାତ୍ରୀମାନଙ୍କ ରହିବା, ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଜଗୁଆଳୀ, ପଥ ପ୍ରଦର୍ଶକ, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।ଚଳିତବର୍ଷ ୧୦ ଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ରାୟଗଡା ଠାରୁ ରାମେଶ୍ବର ଓ ମଦୁରାଇ ଭ୍ରମଣ ସ୍ଥିର କରାଯାଇଥିଲା। ଏଥିରେ ରାୟଗଡା ଜିଲ୍ଲାର ୧୧୮ ଜଣ ତୀର୍ଥଯାତ୍ରୀଙ୍କ ସମେତ କୋରାପୁଟର ୧୬୮ଜଣ, ନବରଙ୍ଗପୁର ୧୪୮ଜଣ, ମାଲକାନଗିରି ୭୫, ନୂଆପଡା ଜିଲ୍ଲାର ୭୪ ମଧ୍ୟ ଏବଂ କଳାହାଣ୍ଡିର ୧୯୨ ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରା କରିଛନ୍ତି । ଗତକାଲି ଉକ୍ତ ଛଅଟି ଜିଲ୍ଲାର ତୀର୍ଥଯାତ୍ରୀଙ୍କୁ ରାୟଗଡାରେ ରହଣି ବ୍ୟବସ୍ଥା କରାଯାଇଥିବା ବେଳେ ସଂଧ୍ୟାରେ ଭଜନ ସଂଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜି ରାୟଗଡା ରେଳବାଇ ଷ୍ଟେସନ ସମ୍ମୁଖରେ ତୀର୍ଥଯାତ୍ରୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିବା ବେଳେ ଷ୍ଟେସନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା।

ବିନା ସୂଚନା ଫଳରେ ଚାଲିଛି ଖେଳ ପଡିଆ ନିର୍ମାଣ

ଯାଜପୁର: ସରକାର ସର୍ବସାଧାରଣ ରେ ଯେ କୌଣସି କାମ ହେଲେ ସମସ୍ତଙ୍କ ଅବଗତ ପାଇଁ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ ନିୟମ ରଖିଥିବା ବେଳେ, ଗାଁ ଗହଳି ରେ ଠିକାଦାର ଏହାକୁ ପାଳନ କରୁନଥିବା ଦୃଷ୍ଟି କୁ ଆସୁଛି, ଅଭିଯୋଗ ମୁତାବକ ଦାନଗଦି ବ୍ଲକ ରାଣୀପଡ଼ା ପଞ୍ଚାୟତ ର ବିଦ୍ୟାଳୟ ସମ୍ମୁଖରେ ଥିବା ଖେଳ ପଡିଆର କାମ ଦୀର୍ଘ ଦୁଇ ସପ୍ତାହ ହେବ ନିର୍ମାଣ ଚାଲିଛି, ଖାଲି ମାଟିରେ ନିମ୍ନ ମାନର କାମ ହେଉଥିବା ବେଳେ କାର୍ଯ୍ୟ ସ୍ଥଳୀରେ କୌଣସି ସୂଚନା ଫଳକ ନାହିଁ, ରାତି ଅଧିଆ ଟ୍ରାକ୍ଟର ରେ ମାଟି ଆଣି କାମ ଚାଲୁଛି, କେହି କିଛି ପଚାରିଲେ କିଛି ଉତ୍ତର ମିଳୁନାହିଁ, ଏହି ବ୍ଲକରେ କେତେକ ସ୍ଥାନ ରେ କାର୍ଯ୍ୟ ଆରମ୍ଭ ପୂର୍ବରୁ କୌଣସି ସୂଚନା ଫଳକ ଲଗାଯାଉ ନାହିଁ, କାମସାରିବା ପରେ ପରେ ଲାଗୁଛି ଫଟୋ ଉଠାଇ ସାରି ପୁଣି ଭାଙ୍ଗି ଦିଆଯାଉଥିବାର ନଜିର ରହିଛି, ନୂତନ ସରକାର ଦୁର୍ନୀତି ମୁକ୍ତ ସ୍ୱଚ୍ଛ କହୁଥିଲା ବେଳେ ପଞ୍ଚାୟତ ସ୍ତରରେ ତାହା ପ୍ରତିଫଳିତ ହେଉନାହିଁ, ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀ ମାନେ ଜାଣି ଶୁଣି ନଜର ଅନ୍ଦାଜ କରୁଥିବା ସାଧାରଣ ରେ ଆଲୋଚନା ହେଉଛି, ସରକାର କା ମାଲ ଦରିଆ ମେ ଡାଲ ନୀତି ରେ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଏହାର ସ୍ୱଚ୍ଛତା ଉପରେ ଗ୍ରାମବାସୀ ମାନଙ୍କ ଅଭିଯୋଗ ହେଉଛି, ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

1
ରାୟଗଡା ଜିଲାରେ ଶିକ୍ଷାର ବିକଳ ଚିତ୍ର
  • ପିଲା ନଥିବାରୁ ସ୍କୁଲ ବନ୍ଦ, ଏଣେ ଗଛମୂଳେ ପାଠ ପଢୁଛନ୍ତି ପିଲା….

ରାୟଗଡା,୧୩।୧୨,ଶିକ୍ଷାର ପ୍ରସାର ପାଇଁ ବହୁ ଯୋଜନା ପ୍ରସ୍ତୁତ କରାଯାଇ ମୋଟା ରକମର ଅର୍ଥ ବ୍ୟୟ କରାଯାଉଛି। କିନ୍ତୁ ଅଣବିକଶିତ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡିକରେ ଶିକ୍ଷା ବ୍ୟବସ୍ଥା ଦୟନୀୟ ଅବସ୍ଥାରେ ରହିଛି।ବିଜେଡି ସରକାରଙ୍କ ଅମଳରେ ରାଜ୍ୟର ଅନ୍ୟ ପ୍ରାନ୍ତ ଭଳି ରାୟଗଡା ଜିଲ୍ଲା ରେ ବହୁ ବିଦ୍ୟାଳୟ ସ୍ମାର୍ଟ ବିଦ୍ୟାଳୟକୁ ପରିବର୍ତ୍ତିତ ହୋଇଥିଲା। କିନ୍ତୁ ଦୁରଦୃଷ୍ଟି ଅଭାବରୁ ଜିଲ୍ଲାରେ ବହୁ ବିଦ୍ୟାଳୟରେ ତାଲା ପଡିଛି ।ରାୟଗଡା ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି। ବିଜେଡି  ସରକାର ଅମଳରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିବା ନେଇ ବନ୍ଦ ହୋଇଯାଇଛି ଅନେକ ସ୍କୁଲ । ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ  ଆଦିବାସୀ ଅଞ୍ଚଳରେ ପିଲା ମାନେ ଆଉ ସ୍କୁଲମୁହାଁ ହେଉନାହାନ୍ତି । କିଏ ଗାଇ ଚରାଇବାକୁ ଯାଉଛି ତ ଆଉ କିଏ ବାପାମା ସାଙ୍ଗେ ଡଙ୍ଗରରେ କାମ କରିବାକୁ ଚାଲିଯାଉଛି । କିଛି ସ୍କୁଲ ବନ୍ଦ ହେବା ପରେ ପିଲା ମାନେ ବିଦ୍ୟାଳୟ ସାମ୍ନାରେ ଥିବା ଗଛ ମୂଳେ ପାଠ ପଢୁଛନ୍ତି । ଆଉ ପିଲା ମାନଙ୍କୁ ଗାଁର ଶିକ୍ଷିତ ଯୁବକଯୁବତୀ ପାଠ ପଡାଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ସଦର ବ୍ଲକର ସିରିକାଡ୍ରୁଗୁମ୍ ଗାଁ ରେ ।ଉପାନ୍ତ ଅଞ୍ଚଳରେ ବିଚିତ୍ର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ।  ଗାଁରେ ଥିବା ସ୍କୁଲ ବନ୍ଦ ହୋଇଯିବା ପରେ ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଭଲଭାବେ ଦେଖନ୍ତୁ ଏହି ଦୃଶ୍ୟକୁ । ଏହା ହେଉଛି ରାୟଗଡା ସଦର ବ୍ଲକ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ସିରିକାଡ୍ରୁଗୁମ୍ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । କମ୍ ଉପସ୍ଥାନ ଯୋଗୁଁ ଗଲା ୪ ମାସ ହେବ ସ୍କୁଲରେ ତାଲା ଝୁଲୁଛି । ଆଉ ଏପଟେ ପ୍ରତିଦିନ ସ୍କୁଲ ବାହାରେ ଥିବା ଏକ ଗଛମୂଳେ ଏକାଧିକ କୋମଳମୋତି ପିଲା ବହିବସ୍ତାନୀ ଧରି ନିଜ ଭବିଷ୍ୟତ ଗଢିବାରେ ବ୍ୟସ୍ତ ଆଶ୍ଚର୍ଯ୍ୟର କଥା ହେଲା ଏମାନଙ୍କୁ ଗାଁ ଜଣେ ମାଟ୍ରିକ୍ ପଢୁଆ ଯୁବତୀ ପ୍ରାଥମିକ ଶିକ୍ଷା ପ୍ରଦାନ କରୁଛନ୍ତି । ଖାଲି ସେ ନୁହନ୍ତି ପାଳି କରି ଗାଁ ର କିଛି ପଢୁଆ ଯୁବକ ସ୍କୁଲ ବନ୍ଦ ହେବା ପରେ ପୁଲା ମାନଙ୍କୁ ଏମିତି ପଢାଇଥାନ୍ତି । ୨୦ ବର୍ଷ ତଳେ ଗାଁରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିବା ବେଳେ ଗତ ତିନି ବର୍ଷ ତଳେ କମ୍ ଉପସ୍ଥାନ ଥିବା ଦର୍ଶାଇ ଶିକ୍ଷା ବିଭାଗ ବିଦ୍ୟାଳୟକୁ ବନ୍ଦ କରିଦେଇଥିଲା । ପରେ ବାଦବିବାଦ ପରେ ପୁନର୍ବାର ସ୍କୁଲ ଆରମ୍ଭ ହେଲା । ହେଲେ ଗତ ୪ ମାସ ହେବ ବିଦ୍ୟାଳୟରେ ପ୍ରାୟ ୨୫ ରୁ ଉର୍ଦ୍ଦ ଛାତ୍ରଛାତ୍ରୀ ରହିଥିଲେ ସୁଦ୍ଦା ସ୍କୁଲ ବନ୍ଦ କରିଦିଆଯାଇଛି । ଗ୍ରାମବାସୀ ବୁଝିପାରୁନାହାନ୍ତି ପ୍ରଶାସନ ସ୍କୁଲକୁ କାହିଁକି ବନ୍ଦ କଲେ ।ରାୟଗଡା ଜିଲ୍ଲାର ୧୧ ଟି ବ୍ଲକରେ ଏପରି ସ୍ଥିତି ଦେଖାଦେଇଛି । ଗତ ୨୦୧୮ ମସିହାରେ କମ୍ ଉପସ୍ଥାନ ଓ ଅନ୍ୟାନ୍ୟ ଅସୁବିଧା ଥିବା ବିଦ୍ୟାଳୟକୁ ବନ୍ଦ କରି ପୋଡଶୀ ବିଦ୍ୟାଳୟରେ ମିଶ୍ରଣ କରି ଦିଆଯାଇଥିଲେ ।ଫଳରେ ଦୁର୍ଗମ ଅଞ୍ଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ଛାଡିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ଏପରି ୧୬୪ ଟି ବିଦ୍ୟାଳୟକୁ ଚିହ୍ନଟ କରାଯାଇଥିବା ବେଳେ ପ୍ରାୟ ୭୪ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଛି ।ସେଥିମଧ୍ୟରୁ ବିଷମକଟକ ବ୍ଲକର ୯ ଟି,ଚନ୍ଦ୍ରପୁର ବ୍ଲକର ୬ ,ଗୁଡାରୀର ୨,ଗୁଣପୁରର ୧୩ ,କଲ୍ୟାଣସିଂହପୁରର ୬,କୋଲନରାର ୯,ମୁନିଗୁଡାର ୧୭,ପଦ୍ମପୁରର ଗୋଟିଏ ଓ ରାୟଗଡା ସଦର ବ୍ଲକର ୯ଟି ବିଦ୍ୟଳୟକୁ ବନ୍ଦ କରିଦିଆଯାଇଛି । ସେହିପରି ଚଳିତ ବର୍ଷ ଜିଲ୍ଲାର ୧୨ ଟି ସ୍କୁଲକୁ କମ୍ ଉପସ୍ଥାନ ଥିବା ଦର୍ଶାଇ ବନ୍ଦ କରାଯାଇଛି । ତେବେ ଯେଉଁ ସ୍କୁଲ ଗୁଡିକ ଖୋଲିବା ଯୋଗ୍ୟ ସେହି ଉପରେ ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ରାଜ୍ୟସ୍ତରୀୟ କମିଟି ନିହାତି ଭାବେ ଆବଶ୍ୟକ ପଦକ୍ଷେପ ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।ବନ୍ଦ ହୋଇଯିବା ପରେ ଗ୍ରାମାଞ୍ଚଳରେ ଶିକ୍ଷାର ମାନ ଧିରେ ଧିରେ କମିବାରେ ଲାଗିଛି । ଏପଟେ ଗଛମୂଳେ ଆଦିବାସୀ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢିବାରେ ବ୍ୟସ୍ତ ଅଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଉପାନ୍ତ ଅଞ୍ଚଳରେ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ହୋଇପଡିଛି ।